ଏସିଆନ୍‌ ରେସଲିଂ ଚାମ୍ପିୟନଶିପ୍‌: ନବଜୋତଙ୍କୁ ସ୍ବର୍ଣ୍ଣ, ସାକ୍ଷୀଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ,୩।୩-ଭାରତୀୟ ମହିଳା କୁସ୍ତିଯୋଦ୍ଧା ନବଜୋତ କୌର ଶନିବାର ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ମହିଳା ଭାବେ ଏସିଆନ୍‌ ଚାମ୍ପିୟନଶିପ୍‌ ସିନିୟର ବିଭାଗରେ ସ୍ବର୍ଣ୍ଣପଦକ ଜିତିଛନ୍ତି। କିର୍ଗିଜସ୍ତାନର ବିଶକେକ୍‌ଠାରେ ଚାଲିଥିବା ଇଭେଣ୍ଟର ୬୫ କି.ଗ୍ରା. ଫ୍ରିଷ୍ଟାଇଲ ବର୍ଗରେ ନବଜୋତ ଏହି ସଫଳତା ପାଇଛନ୍ତି। ସେ ଫାଇନାଲରେ ୯-୧ ବ୍ୟବଧାନରେ ଏକତରଫା ଭାବେ ଜାପାନର ମିୟା ଇମାଇଙ୍କୁ ପରାଜିତ କରିଛନ୍ତି। ଚଳିତ ପ୍ରତିଯୋଗିତାରେ ଏହା ଭାରତର ପ୍ରଥମ ସ୍ବର୍ଣ୍ଣ ପଦକ। ତାଙ୍କ ପୂର୍ବରୁ ଦେଶ ପାଇଁ ପ୍ରଥମ ପଦକ ଆଣିଥିଲେ ରିଓ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକଧାରୀ ସାକ୍ଷୀ ମଲିକ। ସେ ୬୨ କି.ଗ୍ରା. ଫ୍ରିଷ୍ଟାଇଲ ବର୍ଗରେ ବ୍ରୋଞ୍ଜପଦକ ହାସଲ କରିଛନ୍ତି। ବ୍ରୋଞ୍ଜ ପଦକ ମୁକାବିଲାରେ ସାକ୍ଷୀ କାଜାଖସ୍ତାନର ଆୟୁଲମ କାସ୍ୟମୋଭାଙ୍କୁ ୧୦-୭ ପଏଣ୍ଟରେ ପରାଜିତ କରିଛନ୍ତି। ଏହି ଦୁଇ ପଦକ ଯୋଗୁ ଭାରତର ପଦକ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ତାଲିକାରେ ଗୋଟିଏ ଲେଖାଏ ସ୍ବର୍ଣ୍ଣ ଓ ରୌପ୍ୟ ସହ ୪ଟି ବ୍ରୋଞ୍ଜ ପଦକ ରହିଛି।

Leave a Reply

Your email address will not be published. Required fields are marked *